ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ: ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ । ସିଆପଡାରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ସହ ୧୦ ଭରି ସୁନା, ଲାପଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ।

ଗତକାଲି ପ୍ରଶାନ୍ତ ସାହୁଙ୍କ ଘର କବାଟ ତାଡି ପଶିଥିଲେ ୩ ଲୁଟେରା । ହଠାତ୍‌ ଘରେ ପ୍ରଶାନ୍ତ ପହଂଚିବାରୁ ୨ଜଣ ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଅନ୍ୟଜଣଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ । ପରେ ପୋଲିସର ଜିମା ଦେଇଛନ୍ତି । ଧରାପଡିଥିବା ଲୁଟେରା ମୟୂରଭଞ୍ଜ ଅଞ୍ଚଳର ବୋଲି ଜଣାପଡିଛି। ଗତ କିଛିଦିନ ହେଲା ଆନନ୍ଦପୁର ଅଞ୍ଚଳରେ ଲୁଟ୍‌ ବଢିଥିବାବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକ।

ଆନନ୍ଦପୁର ଅଞ୍ଚଳରେ ବାରମ୍ବାର ଘଟିଚାଲିଛି ଏଭଳି ଘଟଣା। ଗତ କିଛି ଦିନ ତଳେ ଜଣେ  ଡ୍ରାଇଭର୍‌ଙ୍କୁ ମାରଣାସ୍ତ୍ର ଦେଖାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ ହୋଇଥିଲା। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖଡ଼ିବିଲ ନିକଟରେ ଡ୍ରାଇଭର୍‌ ଅଜୟ କୁମାର ବାରିକଙ୍କ ବେକରେ ଛୁରୀ ଲଗାଇ ୪ ଜଣ ଲୋକ ୨ଲକ୍ଷ ୭୦ ହଜାର ଟଙ୍କା ଓ ତାଙ୍କ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା।

ଅଜୟ ଶାଳପଡ଼ାରେ ଥିବା ଏକ ତେଜରାତି ଗୋଦାମରେ କାମ କରିଥାନ୍ତି। ସେ ଘଟଗାଁରେ ତେଜେରାତି ସାମଗ୍ରୀ ଦେଇ ସେଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଆଦାୟ କରି ଫେରିବା ପରେ,ତାଙ୍କ ପିକ୍‌ ଅପ୍‌ ଭ୍ୟାନ୍‌ ଅଟକାଇ ଛୁରୀ ଦେଖାଇ ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଥିଲା ।

ଏହାପୂର୍ବରୁ ୨୦ ନଂ ଜାତୀୟ ରାଜପଥ ଆନନ୍ଦପୁର ବେଲବାହାଳି ବାଇପାସ୍ ନିକଟ ଏକ ଢାବା ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଢାବାରେ ଲାଗିଥିବା ସିସିଟିଭିରେ ଲୁଟ୍ ସମୟର ପୁରା ଚିତ୍ର କଏଦ ହୋଇଥିଲା । ଏନେଇ ଲୁଟର ଶିକାର ହୋଇଥିବା ଯୁବକ ଘଷିପୁରା ଥାନାରେ ଏକ ମାମଲା ଦାୟର କରିବାପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା ।

ଅଭିଯୋଗ ଅନୁଯାୟୀ ଭଦ୍ରକର ଲକ୍ଷ୍ମୀ ଅଟୋ ସିଣ୍ଡିକେଟରେ କଲେକସନ ଏଜେଣ୍ଟ ଭାବେ କାମ କରୁଥିବା ସୁଶାନ୍ତ ପଣ୍ଡା କ୍ୟାସ୍ କଲେକସନ ପାଇଁ ଆନନ୍ଦପୁର ଆସିଥିଲେ । କେତେକ ଅଟୋମେବାଇଲ୍ ଦୋକାନରୁ ବକେୟା ଟଙ୍କା କଲେକସନ୍ କରିବା ପରେ ବାଇକ୍ ଡିକିରେ ଟଙ୍କାରଖି ସଂପୃକ୍ତ ଢାବାରେ ଖାଇଥିଲେ । ଏହି ସମୟରେ ଏକ ଗ୍ଲାମର ଗାଡିରେ ଆସି ୨ଜଣ ଦୁର୍ବୁତ୍ତ ନକଲି ଚାବିରେ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଥିଲେ ।  ପରେ ଢାବା ସିସି ଟିଭି ଜାଞ୍ଚ ପରେ ଚୋରି ନେଇ  ସ୍ପଷ୍ଟ ହୋଇଥିଲା ।

ତେବେ ସେହିଭଳି ଗତବର୍ଷ ଜଣେ ପରିବା ବ୍ୟବସାୟୀ ପରିବା କିଣିବା ପାଇଁ ନିଜ ଅଟୋରେ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ସେମାନେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟି ପଳାଇ ଯାଇଥିଲେ । ତେବେ ଦୁର୍ବୃତ୍ତମାନେ ଆସିଥିଲେ ଦାମୀ କାର୍‌ରେ । ମାରଣାସ୍ତ୍ର ଦେଖାଇ ୧୫ ହଜାର ଟଙ୍କା ଏବଂ ତାଙ୍କ ମୋବାଇଲ ଲୁଟି ନେଇଥିଲେ। ବ୍ୟବସାୟୀ ଜଣକ ରାମଚନ୍ଦ୍ରପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସିସି ଟିଭି ଯାଞ୍ଚ କରି ଅଧିକ ତଦନ୍ତ କରିଥିଲା। ତେବେ ଦେଖାଯାଏ ଲୁଟେରା ଆତଙ୍କକୁ ନେଇ ଆଗକୁ ପୋଲିସ୍ କି ପଦକ୍ଷପ ଗ୍ରହଣ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.