ସବୁଠି ଦଶଭୁଜା ଦୁର୍ଗା ପୂଜା ପାଉଥିବା ବେଳେ ଏଠି କିନ୍ତୁ ମା’ ବିଂଶ ଭୁଜାଙ୍କୁ କରାଯାଏ ପୂଜା, ଏବେ ଚାଲିଛି ଜୋରଦାର ପ୍ରସ୍ତୁତି

ମାହାଙ୍ଗା (କେନ୍ୟୁଜ): ଆଗକୁ ଆସୁଛି ମା ଜଗତ ଜନନୀଙ୍କ ଦୁର୍ଗା ପୂଜା। ସେନେଇ ସବୁ ପୁଜା ମଣ୍ଡପରେ ଏବେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର ମାନେ। ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ମା ଦୂର୍ଗାଙ୍କ ପୂଜା ଆଡ଼ମ୍ବରରେ ପାଳିତ ହୋଇନଥିଲା। ତେବେ ଚଳିତ ବର୍ଷ କଟକଣା କୋହଳ ହେବାରୁ ଏବେ ସବୁ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ଟେଣ୍ଡ ବନ୍ଧା କାର୍ଯ୍ଯ ଜୋର ଦାରରେ ଚାଲିଛି।

ତେବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖିରି ର ମା ବିଂଶ ଭୁଜାଙ୍କ ପୀଠରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ହେବ ମା ବିଂଶ ଭୁଜାଙ୍କ ପୂଜା ଏହି ସ୍ଥାନରେ ହୋଇ ଆସୁଅଛି । ତେବେ ଚଳିତ ବର୍ଷ ପୁଜା ଧୁମଧାମରେ ପାଳିତ ହେବ ବୋଲି କମିଟି ପକ୍ଷରୁ ମଧ୍ୟ ସୂଚନା ମିଳିଛି । ଏପଟେ ମାଙ୍କ ମୃଣ୍ମୟୀ କାର୍ଯ୍ଯ ଏବେ ଚାଲିଛି। ଏଠାରେ ପ୍ରାୟ ୭ ଦିନ ପୂର୍ବରୁ ମାଙ୍କ ମୂର୍ତ୍ତି ତିଆରି କରୁଛନ୍ତି ୪ ଜଣ କାରିଗର। କିଏ ମାଙ୍କ ମୂର୍ତ୍ତିକୁ ମାଠୁଛନ୍ତି ତ ଆଉ କିଏ ଆଙ୍ଗୁଠି ଓ ଗହଣା ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ତେବେ କାମ ମଧ୍ୟ ଜୋରଦାରରେ କାରିଗର ମାନେ କରୁଛନ୍ତି।

ଏପଟେ ମା ବିଂଶ ଭୁଜା ଦୁର୍ଗା ଏହି ଅଞ୍ଚଳରେ କୋଉଠି ହୁଅନ୍ତି ନାହିଁ। ତେବେ ଏଠାକୁ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ମାନେ ଆସିଥାନ୍ତି ଦର୍ଶନ ନିମନ୍ତେ। ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହୋଇଥାଏ। ବିଶେଷ କରି ମାଙ୍କ ନିକଟରେ ଶାଢ଼ୀ ଓ ବାଣ ମାନସିକ କରିଥାଆନ୍ତି ମାନସିକ ଧାରି ମାନେ। ଏହାଛଡା ଏହି ପୀଠରେ ମଧ୍ୟ ଗ୍ରାମବାସୀ ମାନେ ଯାତ୍ରା କରିଥାଆନ୍ତି ଏବଂ ନିଜେ ଅଭିନୟ କରିଥାଆନ୍ତି। ପ୍ରାୟ ୪ ଦିନ ଧରି ଯାତ୍ରା ପରିବେଷଣ ହୋଇଥାଏ । ବହୁ ଉଠା ଦୋକାନୀ ମାନଙ୍କ ପସରା ସାଙ୍ଗକୁ ଚଟାପଟା ଖାଦ୍ୟ ଓ ଦୋଳି ପଡ଼ିଥାଏ। ହଜାର ହଜାର ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୁଜା କମିଟି ଓ ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.