ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡାନ୍ତ, ଦୁଇ ବର୍ଷ ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡାନ୍ତ । ମୋହର ମାରିଲା ଛତିଶା ନିଯୋଗ । ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

କୋଭିଡ କଟକଣାର ଦୁଇ ବର୍ଷ ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ଅକ୍ଟୋବର ୬ ତାରିଖରୁ ନଭେମ୍ବର ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ । ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ, ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଅନୁପାଳନ କରିବା, ସୁବିଧାରେ ମହାପ୍ରସାଦ ଯୋଗାଇବା ପାଇଁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି ।

ସେହିପରି କାର୍ତ୍ତିକ ମାସରେ ଭିଆଇପି ଦର୍ଶନ ଉପରେ କଟକଣା ଲଗାଇବା ପାଇଁ ଛତିଶା ନିଯୋଗର ସଦସ୍ୟମାନେ ବୈଠକରେ ଦାବି ଜଣାଇଛନ୍ତି । ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଓ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି । ଅକ୍ଟୋବର ୨୪ ସଂଧ୍ୟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ସେହିପରି ନଭେମ୍ବର ୮ରେ ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଛତିଶା ନିଯୋଗ ବୈଠକରେ ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.