ହଲିଉଡ୍ କି ବଲିଉଡ୍ ଫିଲ୍ମ ନୁହେଁ ଝାରସୁଗୁଡ଼ାରେ ଅଛନ୍ତି ରିଅଲ ଟାର୍ଜନ, ଉଲଗ୍ନ ହୋଇ ଜଙ୍ଗଲରେ ରହୁଛନ୍ତି

ଝାରସୁଗୁଡା(କେନ୍ୟୁଜ୍): ଏକବିଂଶ ଶତାବ୍ଦୀର ବଣ ମଣିଷ । ଜଙ୍ଗଲରେ ରହୁଛନ୍ତି । ପୂରା ଲଙ୍ଗଳା । ନିବସ୍ତ୍ର ହୋଇ ବୁଲୁଛନ୍ତି ଏଣେତେଣେ । ଆହାର କହିଲେ ଜଙ୍ଗଲର ଫଳମୂଳ । ନାଁ- ଗୋପାଳ ନାଏକ । ଘର- ଝାରସୁଗୁଡ଼ା ଜିଲ୍ଲା ଖୁଣ୍ଟାମାଲ ପଞ୍ଚାୟତର ସୁଡୁଙ୍ଗ ଗାଁ । ଜ୍ଞାନ ପାଇବା ପରଠୁ ଘରେ ରହୁ ନାହାନ୍ତି । ଠିକଣା ଗାଁ ପାଖ ଜଙ୍ଗଲ । ଛୋଟ ବେଳୁ ସାର୍ଟ ପ୍ୟାଣ୍ଟ କେବେ ବି ପିନ୍ଧନ୍ତି ନାହିଁ । ପାଗଳ ଭଳି ଦେଖା ଯାଆନ୍ତି ସତ । କିନ୍ତୁ ସେ ପାଗଳ ନୁହନ୍ତି । ଚାଷ ବାସ କରି ନିଜ ପେଟ ପୋଷନ୍ତି ।
ଜଙ୍ଗଲର ଗଛଲତା ଓ ଜୀବଜନ୍ତୁ ହେଉଛନ୍ତି ଗୋପାଳଙ୍କ ସାଥୀ । ଆଗରୁ ରାତିରେ ଗଛ ଉପରେ ରହୁଥିଲେ । ପରେ ଜଙ୍ଗଲରେ ଥିବା ଏକ ନାଳ ପାଖରେ ଝାଟିମାଟିର କୁଡ଼ିଆଟିଏ ତୋଳିଛନ୍ତି । ଜଙ୍ଗଲରେ ଉଲଗ୍ନ ହୋଇ ବୁଲୁଥିଲେ ବି କେବେ କାହାର କିଛି କ୍ଷତି କରି ନାହାନ୍ତି ଗୋପାଳ । ତାଙ୍କର ଆଧାର କାର୍ଡ କି ଭୋଟ୍ ପରିଚୟପତ୍ର ନାହିଁ । ବୟସ ୪୫ରୁ ୫୦ ହେବ । ଗୋପାଳଙ୍କ ଜୀବନ କାହାଣୀ ଟାର୍ଜନ ଫିଲ୍ମଠାରୁ କମ୍ ନୁହେଁ । ବର୍ତ୍ତମାନର ସମାଜରେ ତାଙ୍କ ଭଳି ଜୀବନଯାପନ ଶୈଳୀ ସମସ୍ତଙ୍କୁ ଚକିତ କରୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏତେ ବର୍ଷ ଧରି ଜଙ୍ଗଲରେ ଏଭଳି ଭାବେ ରହୁଛନ୍ତି ହେଲେ ବନ୍ୟଜନ୍ତୁମାନେ ତାଙ୍କର କିଛି କ୍ଷତି କରନ୍ତି ନାହିଁ । ଯେମିତି ଜଙ୍ଗଲ ତାଙ୍କ ଘର ଓ ବନ୍ୟଜନ୍ତୁ ତାଙ୍କର ବନ୍ଧୁ ପାଲଟି ଯାଇଛନ୍ତି । ଅବଶ୍ୟ ବେଳବୁଡ଼ିଲେ ସେ ନିଜ ଘରକୁ ଯାଆନ୍ତି ଓ ପୁଣି ରାତି ୩ଟାରୁ ଉଠି ଜଙ୍ଗଲକୁ ପଳାଇ ଆସନ୍ତି ।
ଏଭଳି ଉଲଗ୍ନ ରହିବା ସମ୍ପର୍କରେ ଗୋପାଳ କହିଛନ୍ତି ଯେ ପିଲାବେଳୁ ଏଭଳି ଭାବେ ରହିବାକୁ ସେ ପସନ୍ଦ କରିଥିଲେ ଓ ଏବେବି ସେମିତି ରହୁଛନ୍ତି । ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । ଘରେ ପ୍ରଥମେ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ହେଲେ ଗୋପାଳ ତାକୁ ଚିରି ଦେଲେ ।
ଝାରସୁଗୁଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.