ପରିବାର ପେନସନ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ପରିବାର ପେନସନ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କେହି ଯୋଗ୍ୟ ଯେପରି ପେନସନ ପାଇବାରୁ ବଞ୍ଚିିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ଲଳିତା ମହାନ୍ତିଙ୍କୁ ବାଲେଶ୍ବରସ୍ଥିତ ବାସଭବନରେ ପରିବହନ ବିଭାଗ ଓ ଓଡ଼ିଶା ସଡକ ପରିବହନ ନିଗମ ଅଧିକାରୀ ସାକ୍ଷାତ କରି ବକେୟା ପେନସନ ବାବଦରେ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରିଥିଲେ। ୨୦୧୩ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥ‌ିଲେ ମଧ୍ୟ ନିଜ ନ୍ୟାୟସଂଗତ ପ୍ରାପ୍ୟ ପାଇଁ ଆବେଦନକାରୀଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡିଥିବାରୁ ହାଇକୋର୍ଟ ଦୁଃଖ ପ୍ରକାଶ କରିଥିଲେ।

କୌଣସି ପେନସନଭୋଗୀ ଯେପରି ଅସହାୟ ଅବସ୍ଥାରେ ନ ରୁହନ୍ତି ତାହା ସୁନିଶ୍ଚିତ କରିବାକୁ ସବୁ ବେଳେ ଅଦାଲତ ଆନ୍ତରିକତାର ସହିତ ଉଦ୍ୟମ କରିବେ ବୋଲି ହାଇକୋର୍ଟ କହିଥିଲେ। ପେନସନ ପ୍ରସଂଗରେ ଏକ ନୀତି ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ସ୍ବାମୀ ଭୀମସେନ ମହାନ୍ତି ଓଏସଆରଟିସିରେ ଟ୍ରାଫିକ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଚାକିରିରେ ଥିବା ବେଳେ ଭୀମସେନଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଆବେଦନକାରୀଙ୍କୁ ପରିବାର ପେନସନ ପ୍ରଦାନ କରାଯାଇ ନଥିଲା। ସେ ୨୦୦୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ୨୦୧୩ ଏପ୍ରିଲ ୧୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ‌୨୦୧୩ରେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.