୨୧ ବର୍ଷ ପୂରି ୨୨ ବର୍ଷରେ ପାଦ ଥାପିଲା ପାରିବାରିକ ପତ୍ରିକା ‘କାଦମ୍ବିନୀ’, ନିରାଡମ୍ବର ଭାବେ କାର୍ଯ୍ୟାଳୟରେ ପାଳିତ ହେଲା ଜନ୍ମଦିନ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭାଷା ସାହିତ୍ୟ ଏବଂ କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ସଦା ସମର୍ପିତ ତଥା ପତ୍ରିକା ଜଗତର ଗର୍ବ ଗୌରବ ପାଲଟିଥିବା ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଜୁଲାଇ ୨ ତାରିଖରେ ଶୁଭ ଜନ୍ମଦିନ ପାଳନ କରିଥାଏ । ଖୁସିର କଥା, କାଦମ୍ବିନୀ ସଫଳତାର ୨୧ ବର୍ଷ ପୂରଣ କରି ୨୨ ବର୍ଷରେ ପଦାର୍ପଣ କରିଛି ।

ପ୍ରତିବର୍ଷ ବେଶ ଭବ୍ୟ ସାହିତ୍ୟ – ସଂସ୍କୃତି ପରିବେଶରେ କାଦମ୍ବନୀ ତାର ଶୁଭ ଜନ୍ମଦିନ ପାଳନ କରିଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଜନିତ ପରିସ୍ଥିତି ଯୋଗୁ ପୂର୍ବର ବ୍ୟାପକ ଆୟୋଜନକୁ ସୀମିତ ରଖାଯାଇ ଆଜି କାଦମ୍ବିନୀର କାର୍ଯ୍ୟାଳୟରେ ଅତି ନରାଡମ୍ବର ଭାବରେ କୋଭିଡ – ୧୯ ନିୟମ ପାଳନ ର୍ପୂବକ କାଦମ୍ବିନୀର ୨୨ତମ ଜନ୍ମଦିନ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ କାଦମ୍ବିନୀର ପ୍ରତିଷ୍ଠାତା ଓ ଦିଗଦର୍ଶକ ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ କାଦମ୍ବିନୀର ସ୍ୱନକ୍ଷତ୍ର ସ୍ୱତନ୍ତ୍ର – ୨୦୨୧ ଏବଂ ମାସିକ ଶିଶୁ କିଶୋର ପତ୍ରିକା କୁନିକଥାର ଜୁଲାଇ ସଂଖ୍ୟାକୁ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କାଦମ୍ବିନୀ ଏବଂ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ । ସୂଚନାଯୋଗ୍ୟ, ପୂର୍ବରୁ ଘୋଷିତ ୨୨ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ଓ ସମ୍ମାନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସମ୍ପାଦିକା ଡ. ଇତି ସାମନ୍ତ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ବିଶିଷ୍ଟ କଥାକାର ଡ. ବିଭୂତି ପଟ୍ଟନାୟକଙ୍କୁ ସମ୍ମାନଜନକ କାଦମ୍ବିନୀ ସାହିତ୍ୟ ସମ୍ମାନ- ୨୦୨୧ ଏବଂ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ – ୨୦୨୧ ପ୍ରଦାନ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ସେଥିସହିତ ଆହୁରି ଅନେକ ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦିକା ଡ. ସାମନ୍ତ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.