ଶ୍ରୀକ୍ଷେତ୍ରରେ ଲୀଳାମୟ ଠାକୁରଙ୍କ ରଥଯାତ୍ରା : ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ. . ବଳଗଣ୍ଡି ଛକ ନିକଟରେ ଅଟକିଲା ନନ୍ଦିଘୋଷ

ପୁରୀ : ବର୍ଷା ସତ୍ତ୍ୱେ ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ବଡ଼ଦାଣ୍ଡ । ରଥ ଓ ପଥ ପ୍ରସ୍ତୁତ ଥିଲା । ଅପେକ୍ଷା ଥିଲା ସେହି ମୁହୂର୍ତ୍ତକୁ । କେତେବେଳେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ । ଘଣ୍ଟଘଣ୍ଟା, ଓ ସଂକୀର୍ତ୍ତନ ସହ ନୀତି ନିର୍ଘଣ୍ଟର ପ୍ରାୟ ଅଧ ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କର ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ ଆସିଥିଲେ । ତାଙ୍କ ପରେ ଧାଡ଼ି ପହଣ୍ଡିରେ ବଡ଼ ଦେଉଳୁ ବାହାରି ଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ରଥାରୂଢ଼ ହୋଇଥିଲା ଦେବୀ ସୁଭଦ୍ରା । ଶେଷରେ ରତ୍ନ ସିଂହାସଦ ଛାଡ଼ିଥିଲେ ଜଗତର ନାଥ ଜଗନ୍ନାଥ । ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ କାଳିଆ ଠାକୁର ବିଜେ କରିଥିଲେ ବଡ଼ଦାଣ୍ଡକୁ । ରଥାରୂଢ଼ ହୋଇଥିଲେ ।

ରଥ ଉପରେ ବିଭିନ୍ନ ରୀତିନୀତି ପରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ପୁରୀ ଶଙ୍କରାଚାର୍ଯ୍ୟ । ପରେ ପରେ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହାପରେ ରଥଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଲଭଦ୍ରଙ୍କ ତାଳଧ୍ୱଜ, ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଗଡ଼ିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଚହଲି ଉଠିଥିଲା ଭକ୍ତିର ସାଗର ରୂପକ ବଡ଼ଦାଣ୍ଡ । ମହା ଆନନ୍ଦରେ ତିନି ରଥକୁ ଗୁଣ୍ଡିଚା ବାଡ଼ି ଅଭିମୁଖେ ଟାଣି ନେଇଥିଲେ ଭକ୍ତ ।

ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ୧୪୦ ପ୍ଲାଟୁନ୍‌ ଫୋର୍ସ । ହଜାରେରୁ ଅଧିକ ପୋଲିସ ଅଧିକାରୀ ଶୃଙ୍ଖଳା ଦାୟିତ୍ୱରେ ଅଛନ୍ତି ।

ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଅଭିମମୁଖେ ବାହାରିଛନ୍ତି ଶ୍ରୀଜିଉ । ରଥାରୂଢ଼ ମହାପ୍ରଭୁଙ୍କୁ ପାଖରେ ପାଇ ନିଜକୁ ଭାବରେ ଭିଜେଇ ଦେଇଛନ୍ତି ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.