ମୋ ପତ୍ନୀକୁ ମୁଁ କିଡନୀ ଦେବି, ହେଲେ ପଇସା ଆଣିବି କେଉଁଠୁ ?

ଆଳି (କେନ୍ୟୁଜ୍‌) : ସ୍ୱାମୀ ପୋଛି ଦେଉଛି ସ୍ତ୍ରୀ ଆଖିର ଲୁହ । ଯେତେ ପୋଛିଲେ ବି ବୋଲ ମାନୁନି । ପାଖରେ କୁନି ପୁଅଟି ଖାଲି ମା’କୁ ଚାହିଁ ରହୁଛି ଆଶ୍ଚର୍ଯ୍ୟ ହୋଇ । ଜାଣିନି ମା’ର ହେଇଛି କଣ । ହେଲେ ଦେଖୁଛି ମା ସବୁବେଳେ ଶୋଇ ରହୁଛି। ସେଥି ପାଇଁ ମା ପାଖେ ବସି ମୁଣ୍ଡକୁ ଆଉଁସି ଦେଉଛି କୁନି ପୁଅଟି । ସେ ବା କେମିତି ଜାଣିବ ଯେ ମା’ର ଦୁଇଟି କିଡନୀ ଖରାପ ହୋଇଛି। ଆଉ ସେ ଅସହ୍ୟ ଯନ୍ତ୍ରଣା ଭୋଗୁଛି।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅରେହିକଣା ଗାଁର ସୁବ୍ରତ ତରାଇଙ୍କ ପତ୍ନୀ ଶଶିକଳା ଧଳ। ତାଙ୍କରି ଘରେ ପହଞ୍ଚିଥିଲେ ଆମ ଆଳି ପ୍ରତିନିଧି ନିରଞ୍ଜନ ବେହେରା । ଆଉ ଏଇ ଦୃଶ୍ୟ ଦେଖି ତାଙ୍କ ଆଖିରେ ବି ଲୁହ ଆସି ଯାଇଥିଲା । ୭ ମାସ ତଳେ ହଠାତ ଶଶିକଳାଙ୍କ ଗୋଡ଼ ଫୁଲିବା ସହ ବାନ୍ତି ହେଲା। ପରିବାର ଲୋକେ ତାଙ୍କର ଏଭଳି ଅବସ୍ଥା ଦେଖି କଟକ ନେଇ ଡାକ୍ତର ଦେଖାଇଲେ। ଡାକ୍ତରଙ୍କ କହିବା ଅନୁଯାୟୀ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡ଼ିଲା କି ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ଡାକ୍ତରଙ୍କ ଠାରୁ ଏକଥା ଜାଣିବା ପରେ ଶଶିକଳାଙ୍କ ସ୍ୱାମୀ ସୁବ୍ରତଙ୍କ ଅଭାବୀ ପରିବାରରେ ପଡ଼ିଗଲା ଭାଳେଣି । ଗରିବ ପରିବାରରେ ଛାଇ ଗଲା ଦୁଃଖର କଳା ବାଦଲ। ତେବେ ଜୀବନ ତ ବଞ୍ଚାଇବାକୁ ହେବ । ଚିକିତ୍ସା କରିବାକୁ ହେବ । ଆଉ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପତ୍ନୀଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କଲେ ସ୍ୱାମୀ ସୁବ୍ରତ । ଏମିତି ଚିକିତ୍ସା ଚିକିତ୍ସାରେ ସବୁ ଟଙ୍କା ଶେଷ ହୋଇଗଲା । ସଂପୂର୍ଣ୍ଣ ନିଃସହାୟ ହୋଇଗଲେ। ଶେଷରେ ନିଜ ପତ୍ନୀଙ୍କୁ ତାଙ୍କ ନିଜର ଗୋଟିଏ କିଡନୀ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ହେଲେ ସେହି ଅପରେସନ ପାଇଁ ଦରକାର ଲକ୍ଷାଧିକ ଟଙ୍କା । ଏତେ ଟଙ୍କା ଆସିବ କୋଉଠୁ? ଏହାକୁ ନେଇ ଦିନରାତି ନିଦ ହେଉନି ସୁବ୍ରତଙ୍କୁ । ତେଣୁ ନିଜ ପତ୍ନୀଙ୍କ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ସହାୟତା ପାଇଁ । କାରଣ ଦିନକୁ ଦିନ ବଢ଼ି ଚାଲିଛି ଶଶିକଳାଙ୍କ ଯନ୍ତ୍ରଣ ।
ବୃଦ୍ଧ ବାପା, ମା,ପତ୍ନୀ ଓ ୩ ବର୍ଷର ପୁଅକୁ ନେଇ ସୁବ୍ରତଙ୍କ ୫ ପ୍ରାଣୀ କୁଟୁମ୍ବ। ପରିବାର ଚଳାଇବା ପାଇଁ ସୁବ୍ରତ ବେଙ୍ଗାଲୁରୁ ଠାରେ ପାଣିପାଇପ୍ କାମ କରୁଥିଲେ । ପତ୍ନୀ ଶଶିକଳାଙ୍କ ଦେହ ଅସୁସ୍ଥ ହେବା ପରେ ସେ ଘରକୁ ଫେରି ଆସିଥିଲେ । ଏପଟେ ସୁବ୍ରତ କାମ ଛାଡି ଘରେ ବସିଥିବାରୁ ପରିବାର ମଧ୍ୟ ଚଳିବା କଷ୍ଟକର ହୋଇ ପଡ଼ିଛି। ଆର୍ଥିକ ଅନଟନ ସାଙ୍ଗକୁ ଶଶିକଳାଙ୍କ ରୋଗ ଯନ୍ତ୍ରଣା ତାଙ୍କୁ ଖୁବ୍‌ ବାଧୁଛି । ସେ ଚାହିଁଲେ ବି କିଛି କରି ପାରୁ ନାହାନ୍ତି ।

ଶଶିକଳାଙ୍କ ଚିକିତ୍ସା ସମସ୍ୟା ନେଇ ଆମେ ଭେଟିଥିଲୁ ଆଳିର ବିଡ଼ିଓଙ୍କୁ। ଆମ ଠାରୁ ତାଙ୍କ ବିଷୟରେ ଅବଗତ ହେବା ପରେ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତଥାପି ଶଶିକଳାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆପଣମାନଙ୍କ ସହଯୋଗ ଦରକାର । ଏଥିପାଇଁ ନିବେଦନ କରିଛନ୍ତି ଶଶିକଳାଙ୍କ ସ୍ୱାମୀ ସୁବ୍ରତ । ଯେଉଁମାନେ ସହାୟତା କରିବାକୁ ଚାହୁଁଛନ୍ତି ସେମାନେ ଠିକଣାରେ ପଠାଇ ପାରିବେ ଏବଂ ସୁବ୍ରତଙ୍କ ସହ ଯୋଗାଯୋଗ କରି ପାରିବେ ।

ଠିକଣା

ଶଶିକଳା ଧଳ
ସ୍ୱାମୀ-ସୁବ୍ରତ ତରାଇ
ଗ୍ରାମ/ପୋଷ୍ଟ-ଅରେହିକଣା, ଭାୟା-ନମୌଜା, ଜିଲ୍ଲା-କେନ୍ଦ୍ରାପଡ଼ା, ପିନ୍‌-754231
Mob-9591774751

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.