ଏକଦା ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଗୋ ସମ୍ପଦ ମନ୍ତ୍ରୀ, କେମିତି ଥିଲା ପ୍ରତାପ ଷଡ଼ଙ୍ଗୀଙ୍କ ସଂଘର୍ଷମୟ ଜୀବନର କାହାଣୀ

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମସ୍ତଙ୍କର ପ୍ରିୟ ପ୍ରତାପ ନାନାରୁ ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ମନ୍ତ୍ରୀ ମଣ୍ଡଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ପ୍ରାଣୀ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ। ନିଜର ସରଳ, ଅମାଇକ, ନିଷ୍କପଟ ଓ ନିରାଡମ୍ବର ଜୀବନ ଶୈଳୀକୁ ନେଇ ସେ ଯେତିକି ଜନପ୍ରିୟ, ନିଜର ଅଦମ୍ୟ ସାହସ ଓ ସଚ୍ଚୋଟତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ଜଣେ କଠୋର ହିନ୍ଦୁ ବାଦୀ ନେତା ଭାବରେ ସଂଘ ପରିବାର ସହ ଅହରହ ଜଡ଼ିତ ରହିଥିବା ପ୍ରତାପ ଷଡ଼ଙ୍ଗୀ କିନ୍ତୁ ସଦା ସର୍ବଦା ଗୋ ଚାଲାଣ କୁ ବିରୋଧ କରିବା ସହ ଗୋ ସମ୍ପଦର ସୁରକ୍ଷା ପାଇଁ ପ୍ରଚେଷ୍ଟା ଚଳାଇ ଆସିଛନ୍ତି।

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନା। ପିଲାଟି ବେଳୁ ସଂଘର୍ଷମୟ ଜୀବନ ଅତିବାହିତ କରୁଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରାରମ୍ଭିକ ଜୀବନ ବିଲଗିରି ବ୍ଲକ କାହଳିଆ ଓ ପରବର୍ତ୍ତୀ ସମୟରେ ଗୋପୀନାଥ ପୁର ଶାସନ ଗ୍ରାମରେ କଟିଥିଲା । ଜଣେ ଶାସନି ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କର ସଭିଙ୍କ ପାଖରେ ଗୋଟିଏ ପରିଚୟ । ସେ ସମସ୍ତଙ୍କର ଅତି ଆଦରର ପ୍ରତାପ ନନା। ଜଣେ ସରଳ, ଆମାଇକ ,ନିଷ୍କପଟ ସାଧାରଣ ଜୀବନ ଯାପନ କରୁଥିବା ମନୁଷ୍ୟ । ଗଡ଼ଜାତ ଅଞ୍ଚଳ ନୀଳଗିରି ଗଡ଼ରୁ ତାଙ୍କର ନୂଆ ଠିକଣା ନୂଆ ଦିଲ୍ଲୀ ହେବା ପରେ ରାତାରାତି ସେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ସେ ପାଲଟି ଯାଇଥିଲେ ଶିରୋନାମା ।

pratap sarangi

ନୀଳଗିରି କଲେଜରେ 25 ବର୍ଷର ଚାକିରି ଜୀବନ ଅତିବାହିତ କରିବା ପରେ ପ୍ରତାପ ଷଡ଼ଙ୍ଗୀ ସଂଘ ପରିବାର ସଂସ୍ପର୍ଶରେ ଆସିଥିଲେ । ନିଜର ରାଷ୍ଟ୍ର ବାଦ୍ ଓ କଠୋର ହିନ୍ଦୁ ବାଦ୍ ଚିନ୍ତାଧାରାକୁ ନେଇ ସଦା ସର୍ବଦା ବ୍ୟସ୍ତ ରହୁଥିବା ପ୍ରତାପ ନନା ଭୁଲି ଯାଇଥିଲେ ନିଜର ଜୀବନ ଚର୍ଯା ଓ ଘର ସଂସାର କଥା । ପିଲାଟି ବେଳୁ ଈଶ୍ୱର ବିଶ୍ଵାସୀ ହେବା ସହ ରାଷ୍ଟ୍ରର ଉନ୍ନତି ପାଇଁ ଚେଷ୍ଟିତ ପ୍ରତାପ ଷଡ଼ଙ୍ଗୀ ସ୍ବାମୀ ବିବେକ ନନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନିଜ ଯୁବ ଅବସ୍ଥାରୁ ବିବେକାନନ୍ଦ ପାଠ୍ୟଚକ୍ର ଏବଂ ଅର୍ ଏସ୍ ଏସ ସହ ଜଡ଼ିତ ହୋଇ ବାଲେଶ୍ୱର ର ବିଭିନ୍ନ ସ୍ଥାନ ରେ ଶାଖା ଖୋଲି ପ୍ରତିଦିନ ରାଷ୍ଟ୍ର ଚିନ୍ତାଧାରାରେ ନିଜକୁ ନିୟୋଜିତ କରୁଥିଲେ । ଏହା ସହ ସେ ମଦ କୁ ଦୃଢ଼ ବିରୋଧ କରୁଥିବା ବେଳେ ଗୋ ବଂଶ ର ସୁରକ୍ଷା ଓ ବେଆଇନ ଗୋ ଚାଲାଣ ବିରୋଧରେ ଅଭିଯାନ ଚଳାଇଥିଲେ ।

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପରିବାର କହିଲେ ୨ ଭାଇ ଓ ଜଣେ ଭଉଣୀ, ସେମାନଙ୍କ ମଧ୍ୟରୁ ପ୍ରତାପ ହେଉଛନ୍ତି ସବୁଠୁ ବଡ଼ । ରାଷ୍ଟ୍ର ବାଦ୍ ଚିନ୍ତାଧାରା ଓ ଦେଶ ସେବା ପାଇଁ ନିଜକୁ ଅବିବାହିତ ରଖିଥିବା ପ୍ରତାପ ନିଜ ମାଆଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେଇଥିଲେ । ଦେଶ ସେବା ଓ ମାଙ୍କ ସେବା ଶୁଶ୍ରୁଷାରେ ନିଜର ସମୟ ଅତିବାହିତ କରୁଥିବାବେଳେ, ଏବେ ମାଆଙ୍କ ବିୟୋଗ ପରେ ଘରେ ରହୁଛନ୍ତି ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ। ନୀଳଗିରି ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବଦଳି ନ ଥିଲା ତାଙ୍କର ଜୀବନ ଶୈଳୀ। ସେଇ ନୁଆଁଳିଆ ଚାଳ ଛପର ଘର ସାଙ୍ଗକୁ ସେଇ ଦୁଇ ରୁ ଚାରି ହଳ କୁର୍ତ୍ତା ପାଇଜାମା । ଆଉ ସେଇ ହସ ହସ ମୁହଁ ସାଙ୍ଗକୁ ଜନତାଙ୍କ ସେବା ହେଉଛି ତାଙ୍କର ପୁଞ୍ଜି । ଆଉ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ମନ୍ତ୍ରୀ ହେବା ପରେ ତାଙ୍କର ସହଯୋଗୀ ଓ ଗ୍ରାମ ବାସୀଙ୍କ ଖୁସି କହିଲେ ନ ସରେ । କିଏ ପୁରୁଣା ଅନୁଭୂତି କୁ ବଖାଣି କାନ୍ଦି ପକଉଛିତ କିଏ ତାଙ୍କୁ ନିଜର ଆଦର୍ଶ ରୂପେ ମାନି ନେଇଛି ।

pratap

ଇୟେ ତ ଥିଲା ତାଙ୍କ ଜୀବନ ଶୈଳୀ ଓ ଆଦର୍ଶ ର କଥା । ନିଜ ଜୀବନରେ ଟଙ୍କା ପଛରେ ନ ପଡ଼ି ନିରାଡମ୍ବର ଜୀବନ ଅତିବାହିତ କରିଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜକୁ ଜୀବନକୁ ମନୁଷ୍ୟ ଓ ପ୍ରାଣୀଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। ଗୋବଂଶ ର ସୁରକ୍ଷା ପାଇଁ ବିଭିନ୍ନ ଗୋଶାଳା ଖୋଲିବା ସହ ବେଆଇନ ଭାବେ ଓଡ଼ିଶା ରାଜପଥ ଦେଇ ପଶ୍ଚିମ ବଙ୍ଗ କୁ ଚୋରା ଚାଲାଣ ହେଉଥିବା ଗୋରୁମାନଙ୍କୁ ରକ୍ଷା କରିବା ସହ ସେମାନଙ୍କୁ ଉଦ୍ଧାର କରି ଗୋଶାଳାରେ ରଖୁଥିଲେ । ପ୍ରତିଦିନ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ କୁ ସହ ସହ ସଂଖ୍ୟା ରେ ଟ୍ରକ୍ ଦ୍ୱାରା ଗୋ ଚାଲାଣ ହେଉଥିବା ବେଳେ ଏହାକୁ କଡ଼ା କଡ଼ି ଭାବେ ବିରୋଧ କରୁଥିଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଆଉ ଗୋ ସୁରକ୍ଷା ବାହିନୀ ଓ ପୋଲିସ ଦ୍ଵାରା ଉଦ୍ଧାର ପରେ ସେମାନଙ୍କୁ ଗୋ ଶାଳରେ ସୁରକ୍ଷିତ ଭାବେ ରଖାଯାଉଥିଲା । ଆଉ ସୌଭାଗ୍ୟ ବଶତଃ ଏବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହେଉଛନ୍ତି ଦେଶର ପ୍ରାଣୀ ଓ ପଶୁସମ୍ପଦ ମନ୍ତ୍ରୀ। ସେ ଏ ଗୁରୁ ଦାୟିତ୍ୱ ବହନ ନେବାପରେ ଗୋ ସୁରକ୍ଷା ବହିନୀଙ୍କ ମଧ୍ୟରେ ଉତ୍ସାହ ବେଶ ବଢ଼ିଯାଇଛି । ତେବେ ଏବେ ଦେଖିବାର କଥା ଯେ ସାରା ଜୀବନ ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରି ଆସିଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ଏ ଗୁରୁ ଦାୟୀତ୍ୱକୁ କିଭଳି ନିର୍ବାହ କରୁଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, କଣ ବେଆଇନ ଗୋ ଚାଲାଣକୁ ରୋକାଯାଇପରିବ ? ପଶୁ ମାନଙ୍କ ସୁରକ୍ଷା ପାଇଁ ସରକାର କିଛି ଆଇନ ଆଣିବା ସହ ଦୃଢ଼ ପଦକ୍ଷେପ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପାଇଁ ଏଭଳି କିଛି ପ୍ରଶ୍ନ ରହିଥିବା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା କୁ ନେଇ ମଧ୍ୟ ଚ୍ୟାଲେଞ୍ଜ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.