ସୁନ୍ଦରଗଡ଼ ଜିଲ୍ଲାକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତିନିଦିନଆ ମାରାଥନ ଗସ୍ତ

ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ରେ ସିନ୍ଥେଟିକ୍ ଟର୍ଫ ନିର୍ମାଣ ଲାଗି ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପର ଶିଳାନ୍ୟାସ ପରେ ରାଜ୍ୟ ହକିର ବ୍ୟାପକ ଉନ୍ନତି ପାଇଁ ପଥ ପରିଷ୍କାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲାକୁ ତିନିଦିନଆ ମାରାଥନ ଗସ୍ତ କରିଛନ୍ତି ।  ଏହି ଗସ୍ତରେ ମନ୍ତ୍ରୀ ଶ୍ରୀ ବେହେରା ବିଶେଷ କରି ଜିଲ୍ଲାର ବାଲିଶଙ୍କରା, ବରଗାଁ, ବିଶ୍ରା, ବଣାଇ, ଗୁରୁଣ୍ଡିଆ, ହେମଗିରି, କୋଇଡ଼ା, କୁଆରମୁଣ୍ଡା, କୁତ୍ରା, ଲହୁଣିପଡ଼ା, ଲାଠିକଟା, ଲେଫି୍ରପଡ଼ା, ନୂଆଗାଁ, ରାଜଗାଙ୍ଗପୁର, ସବ୍ଡ଼େଗା, ସୁନ୍ଦରଗଡ଼ ଏବଂ ଟାଙ୍ଗରପାଲି ଆଦି ସମସ୍ତ ବ୍ଲକରେ ସିନ୍ଥେଟିକ୍ ଟର୍ଫ ନିର୍ମାଣ ନେଇ ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବେ ।

ବର୍ତ୍ତମାନ ପାନପୋଷରେ ଦୁଇଟି ଏବଂ ସୁନ୍ଦରଗଡ଼ର ଭବାନିପୁରରେ ଗୋଟିଏ ସିନ୍ଥେଟିକ୍ ଟର୍ଫ ରହିଛି । ସେହିପରି ସୁନ୍ଦରଗଡ଼ ସଦର ବ୍ଲକ୍ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଫ୍ଲଡ୍ ଲାଇଟ୍ ଏବଂ ୧୫୦ ଜଣ ବସିବା ଭଳି ସୁବିଧା ଥାଇ ଅନ୍ୟ ଏକ ନିର୍ମାଣାଧୀନ ଟର୍ଫ ସଂପର୍କରେ ମଧ୍ୟ ମନ୍ତ୍ରୀ ଅନୁଧ୍ୟାନ କରିବେ । ଏଥି ସହିତ ୨୦୨୩ରେ ରାଉରକେଲାଠାରେ ହେବାକୁ ଥିବା ହକି ବିଶ୍ୱକପ ଲାଗି ନିର୍ମାଣ ହେବାକୁ ଥିବା ଦେଶର ସର୍ବବୃହତ ଷ୍ଟାଡିୟମ୍ ନିର୍ମାଣ ସଂପର୍କରେ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମ ରହିଛି ।ଅନ୍ୟ ସମସ୍ତ ବ୍ଲକ୍ରେ ଟର୍ଫ ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା-ଚେଞ୍ଜିଂ ରୁମ୍, ଜିମ୍, ଶୌଚାଳୟ, ଅଫିସ, ଉତ୍ସବ ନିମନ୍ତେ ମଣ୍ଡପ ଏବଂ ପାର୍କିଂ ସୁବିଧା ନିର୍ମାଣ ବିଷୟରେ ମନ୍ତ୍ରୀ ବିଷଦ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 

SUNDARGAD-2

ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱରରରୁ ଆସି କୋଇଡା ବ୍ଲକ୍ ଆଇଟିଆଇ ନିକଟରେ ଥିବା କମୁ୍ୟନିଟି ପଡ଼ିଆ ବୁଲି ଦେଖିବା ସହ ସିନ୍ଥେଟିକ୍ ଟର୍ଫ ନିର୍ମାଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଲହୁଣିପଡ଼ାରେ ହେବାକୁ ଥିବା ହକି ପଡ଼ିଆ, ବଣାଇ, ଗୁରୁଣ୍ଡିଆ, ଲାଠିକଟା ବ୍ଲକ୍ରେ ଥିବା ହକିପଡ଼ିଆ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆସନ୍ତା ଦୁଇଦିନ ମନ୍ତ୍ରୀ ଜିଲ୍ଲାରେ ରହିବା ସହ ସମସ୍ତ ବ୍ଲକ୍ ଗସ୍ତ କରି ଟର୍ଫ ନିର୍ମାଣ ଉପରେ ବିସ୍ତୃତ ଅନୁଧ୍ୟାନ କରିବା ସହିତ ଜିଲ୍ଲାରେ ଥିବା ଦୁଇଟି କ୍ରୀଡ଼ା ହଷ୍ଟେଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ
ଘଡ଼ାଇଙ୍କ ସମେତ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ହେଉଥିବା ଜନସଂପର୍କ କାର୍ଯ୍ୟକ୍ରମ ଏବଂ ଆମ ପରିବାର ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ବେହେରା ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.