ବିଦ୍ୟାଳୟରେ ପାଠପଢା ଛାଡି ଶ୍ରମିକ ଭାବେ କାମ କରୁଛନ୍ତି କୁନି କୁନି ଛାତ୍ର, ଠିକାଦାର ସାଜିଛନ୍ତି ପ୍ରଧାନ ଶିକ୍ଷକ

ଯାଜପୁର (କେନ୍ୟୁଜ): ଶ୍ରମିକ ହୋଇ ସ୍କୁଲ ମରାମତି କରୁଛନ୍ତି କୁନି କୁନି ଛାତ୍ର। ପ୍ରଧାନ ଶିକ୍ଷକ ସାଜିଛନ୍ତି ଠିକାଦାର। ଯାଜପୁର ଜିଲ୍ଲା ଶିକ୍ଷାମଣ୍ଡଳ ଅଧିନ ଏକ ସ୍କୁଲରେ କୋମଳମତି ଛାତ୍ରମାନେ ପାଠ ପଢିବା ପରିବର୍ତ୍ତେ ଶ୍ରମିକ ପରି ସ୍କୁଲ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି।

ହାତରେ କୋଡ଼ି, କୋଦାଳ, ମାର୍ତ୍ତୁଲ, ଝୁଡ଼ି ଧରି କାମ କରୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ ହେବା ପରେ କେବଳ ବଡ଼ଚଣା ବ୍ଲକ ନୁହେଁ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଯାହା ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସମସ୍ତ ଆଚାର ସଂହିତାକୁ ବିଦ୍ରୁପ କରୁଛି ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣା ଘଟିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତର ବାହାଦୂରନଗର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ସରକାରୀ ଅନୁଦାନରେ ସ୍କୁଲର ମରାମତି ପାଇଁ ପ୍ରଧାନ ଶିକ୍ଷକଙ୍କ ଜରିଆରେ ନିର୍ମାଣ କାର୍ଯ୍ୟ ଚାଲିଛି। ଭିଡ଼ିଓରେ ସ୍କୁଲର ପ୍ରଧାନଶିକ୍ଷକ ଠିକାଦାର ସାଜି ଚେୟାରରେ ବସି ପିଲାମାନଙ୍କ କାମର ତଦାରଖ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.