ଯାଜପୁର ଟାଉନ: ଯାଜପୁର ଚଇନପୁର ସ୍କୁଲ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। କେବଳ ବୃକ୍ଷରୋପଣ ନୁହେଁ ଏହାର ରକ୍ଷଣା ବେକ୍ଷଣ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି ବିଧାୟକ କହିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା ହୋଇପାରିବ ଓ ପ୍ରତ୍ୟେକ ଛାତ୍ର ଛାତ୍ରୀ ପ୍ରତିବର୍ଷ ଗୋଟିଏ ଗୋଟିଏ ଗଛ ଲଗାଇବା ଓ ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ,ବ୍ଲକ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ବୃକ୍ଷରୋପଣର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ରଚିତ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ସିଡି ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଧାୟକ ସେଠାରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ । ଜିଲାପାଳଙ୍କ ଦ୍ୱାରା ରଚିତ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ଗୀତକୁ ଛାତ୍ର ଛାତ୍ରୀ ଗାଇଥିଲେ । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟରେ କରାଯିବ ଓ ଏହି ବିଦ୍ୟାଳୟରେ ଲାଗିଥିବା ଗଛର ସୁରକ୍ଷା ପାଇଁ ଚାରିପଟେ ପାଚେରି ନିର୍ମାଣ ପାଇଁ ବିଧାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳା,ପଂଚାୟତ ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।